ଶାରଜାହା: ୟୁଏଇରେ ଆୟୋଜିତ ହେଉଥିବା ଅଣ୍ଡର-୧୯ ଏସିଆ କପରେ ପ୍ରଥମ ବିଜୟ ହାସଲ କରିଛି ଭାରତୀୟ ଟିମ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଠାରୁ ପରାଜୟ ବରଣ କରିଥିବା ଭାରତୀୟ ଟିମ ଜାପାନକୁ ଏକତରଫା ଭାବେ ହରାଇ ବିଜୟ ହାସଲ କରିଛି।
ମ୍ୟାଚ୍ରେ ଟସ୍ ଜିତି ପ୍ରଥେମ ବ୍ୟାଟିଂ କରୁଥିବା ଭାରତୀୟ ଟିମ ଅଧିନାୟକ ମହମ୍ମଦ ଅମନଙ୍କ ଅପରାଜିତ ବିଶାଳ ସ୍କୋର ୧୨୨ ରନ, ଆୟୁଷ ମହାତ୍ରେଙ୍କ ୫୪ ଓ କେପି କାର୍ତ୍ତିକେୟଙ୍କ ୫୭ ରନ ଯୋଗୁଁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ବିନିମୟରେ ୩୩୯ ରନ ହାସଲ କରିଥିଲା। ଅପରପକ୍ଷରେ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ପୁଣି ସମସ୍ତଙ୍କୁ ନିରାଶ କରିଥିବା ବେଳେ ମାତ୍ର ୨୩ ରନ କରି ଆଉଟ ହୋଇଥିଲେ।
ତେବେ ୩୪୦ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଜାପାନ ୫୦ ଓଭରରେ ୮ ୱିକ19 ଟ ହରାଇ ମାତ୍ର ୧୨୮ ରନ କରିପାରିଥିଲା। ଭାରତ ପକ୍ଷରୁ ଚେତନ ଶର୍ମା, ହାର୍ଦ୍ଦିକ ରାଜ ଓ କେପି କାର୍ତ୍ତିକେୟ ୨ଟି ଲେଖାଏ ୱିକେଟ ନେଇଥିଲା ବେଳେ ଯୁଦ୍ଧଜିତ ଗୁହା ଗୋଟିଏ ସଫଳତା ପାଇଛନ୍ତି। ଗୋଟିଏ ୱିକେଟ ରନ ଆଉଟରୁ ମିଳିଥିଲା। ଭାରତ ଏହି ମ୍ୟାଚକୁ ୨୧୧ ରନରେ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିଥିବା ବେଳେ ନିଜ ଗ୍ରୁପରେ ତୃତୀୟ ସ୍ଥାନରେ ରହିଛି। ୨ଟି ମ୍ୟାଚ୍ରୁ ଦୁଇଟି ବିଜୟ ସହ ପାକିସ୍ତାନ ପ୍ରଥମରେ ଥିବା ବେଳେ ୟୁଏଇ ଦ୍ୱିତୀୟ ସ୍ଥାନରେ ଓ ଭାରତ ତୃତୀୟ ସ୍ଥାନରେ ରହିଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଭାରତ ମୁକାବିଲା ୟୁଏଇ ସହ ହେବ ଏବଂ ଏହି ମ୍ୟାଚର ବିଜେତା ସେମି ଫାଇନାଲକୁ ଯିବ।