ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଫେଙ୍ଗାଲ’ ଶନିବାର ଲ୍ୟାଣ୍ଡଫଲ କରିବା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଏହାର ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଜାରୀ ରହିଛି । ଓଡ଼ିଶାରେ ମଧ୍ୟ ଅନେକ ଜିଲ୍ଲାରେ ରବିବାରଠାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହାର ପ୍ରଭାବରେ ରାଜ୍ୟରେ ଶୀତର ଲହରୀ ବୃଦ୍ଧି ପାଉଛି। କଳାହାଣ୍ଡି ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି।
ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାନୁସାରେ, ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ କନ୍ଧମାଳ, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ନବରଙ୍ଗପୁର ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାନେଇ ସୂଚନା ମିଳିଛି। ସେହିପରି ବୁଧବାର ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ଓ ୫ ତାରିଖରେ କଳାହାଣ୍ଡି, କନ୍ଧମାଳ, ଗଜପତି, ନବରଙ୍ଗବୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ମାତ୍ର ଆଗାମୀ ୪ରୁ ୫ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବା ଡ.ଦ୍ୱିବେଦୀ କହିଛନ୍ତି।