ଜମ୍ମୁ: ପାକିସ୍ତାନ ସୀମାକୁ ଲାଗିଥିବା ଭାରତର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି । ବୁଧବାର ଏହି ଘଟଣା ଘଟିଥିବାବେଳେ ଏଥିରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଜଣେ ଯବାନ ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଅଖନୁର ସେକ୍ଟରରେ ବୁଧବାର ଭୋର ପ୍ରାୟ ୨.୩୫ରେ ପାକିସ୍ତାନୀ ରେଞ୍ଜରମାନେ ସୀମା ଆରପଟୁ ଗୁଳିଚାଳନା କରିବା ପରେ ଭାରତୀୟ ସେନା ତାହାର କଡା ଜବାବ ଦେଇଥିଲେ । ତେବେ ଏଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି । ପାକିସ୍ତାନ ପଟେ ମୃତାହତଙ୍କ ସମ୍ପର୍କରେ କୋ÷ଣସି ଖବର ମିଳିନାହିଁ । ପାକିସ୍ତାନର ଏଭଳି ଆକ୍ରମଣ ପରେ ଆନ୍ତର୍ଜାତିକ ସୀମରେଖା ଏବଂ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାକୁ ପୂର୍ଣ୍ଣ ସଜାଗ ରଖାଯାଇଛି । ଉଲ୍ଲେଖଯୋଗ୍ୟ ୨୦୨୧ ପରଠାରୁ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଯଥେଷ୍ଟ କମ୍ ରହିଛି । ସେହିବର୍ଷ ଦୁଇଦେଶ ଅସ୍ତ୍ରବିରତି ରାଜିନାମାର ନବୀକରଣ କରିଥିଲେ । ତେବେ ଗତବର୍ଷ ରାମଗଡ ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇ ଗୁଳିମାଡ କରାଯିବାରୁ ଜଣେ ବିଏସଏଫ ଯବାନଙ୍କର ପ୍ରାଣହାନି ଘଟିଥିଲା । ଜମ୍ମୁ କାଶ୍ମୀରରେ ସମ୍ପ୍ରତି ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସେଥିରେ ବ୍ୟାଘାତ ସୃଷ୍ଟି ଉଦେ୍ଦଶ୍ୟରେ ପାକିସ୍ତାନ ପଟୁ ଏଭଳି ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଥିବା କୁହାଯାଉଛି । ଏଠାରେ ତିନି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ପ୍ରକ୍ରିୟା ଚଳିତ ମାସ ୧୮ରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଯଥାକ୍ରମେ ଚଳିତ ମାସ ୨୫ ଓ ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ ହେବ ।