କାଲାରକୋଡ: କେରଳ କାଲାରକୋଡର ଆଲାପୁଝାରେ ଘଟିଛି ଅଭାବନୀୟ ଘଟଣା । ଏଠାରେ କାର୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଡାକ୍ତରୀ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୋମବାର ବିଳମ୍ବିତ ରାତିରେ କେରଲର ଅଲପ୍ପୁଝା ସ୍ଥିତ କଲାରକୋଡ୍ରେ ଏକ କାର୍ ଓ ଯାତ୍ରୀବାହୀ ବସ୍ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ଥିବା ୫ ଜଣ ଏମ୍ବିବିଏସ୍ ଛାତ୍ରଙ୍କ ମୃତ୍ୟୁ ଓ ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ଆଲାପୁଝାର ଟି.ଡି ମେଡିକାଲରେ ଏମ୍ବିବିଏସ୍ ପ୍ରଥମ ବର୍ଷର ଛାତ୍ର ଥିଲେ । ତେବେ କାରରେ ସମୁଦାୟ ୭ ଜଣ ଛାତ୍ର ଥିବାବେଳେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବସ୍ ରେ ଥିବା ୧୫ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଦୁଇ ଗୁରୁତର ଆହତଙ୍କୁ ବନ୍ଦନମ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣା ଘଟିବା ସମୟରେ ପ୍ରବଳ ବର୍ଷା ଜାରି ରହିଥିଲା । ଏହି ସମୟରେ ବସ୍ଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଏହାପରେ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।