ଶ୍ରୀହରିକୋଟା: ସୂଯ୍ୟଙ୍କ କୋରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବ ପ୍ରୋବା-୩ ମିଶନ । ସେଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ପିଏସଏଲଭି-ସି୫୯/ପ୍ରୋବା-୩ ମିଶନ ଉପଗ୍ରହ ଉତକ୍ଷେପଣ ହେବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଡିସେମ୍ବର ୪ (ବୁଧବାର) ଅପରାହ୍ନ ୪.୦୬ ମିନିଟରେ ଏହି ଉପଗ୍ରହ ଉତକ୍ଷେପଣ ହେବା ପାଇଁ ଧାର୍ଯ୍ୟ ହୋଇଛି। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ପକ୍ଷରୁ ପ୍ରୋବା-୩ ମିଶନ ହେଉଛି ‘ଇନ୍-ଅର୍ବିଟ୍ ଡେମୋଷ୍ଟ୍ରେସନ୍ (ଆଇଓଡି) ଅଭିଯାନ’।
ଏହି ଅଭିଯାନରେ ପୋଲାର୍ ସାଟେଲାଇଟ୍ ଲଞ୍ଚ ଭେଇକିଲ (ପିଏସଏଲଭି)-ସି୫୯ ପ୍ରାୟ ୫୫୦ କିଲୋଗ୍ରାମ ଓଜନର ଉପଗ୍ରହକୁ ଇଲାପ୍ଟିକାଲ କକ୍ଷପଥକୁ ନେଇଯିବ। ଏହା ଇସ୍ରୋ ଦ୍ୱାରା ଇଏସଏର ମିଳିତ ସହଯୋଗରେ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡର ଏକ ଅଭିଯାନ ଅଟେ।
ଏହି ଅଭିଯାନରେ ପିଏସଏଲଭିସି-୫୯ର ଉତକ୍ଷେପଣର ୪ଟି ପର୍ଯ୍ୟାୟ ରହିବ। ସେହିପରି ଦୁଇଟି ମହାକାଶଯାନ କରୋନାଗ୍ରାଫ୍ ମହାକାଶଯାନ (ସିଏସସି) ଏବଂ ଅକଲଟର ମହାକାଶଯାନ (ଓଏସସି) ରହିଥିବା ବେଳେ ଏହାକୁ ଏକାସାଙ୍ଗରେ ଏକ “ଷ୍ଟେକ୍ କନଫିଗ୍ରେସନ” (ଗୋଟିଏ ଅନ୍ୟଟି ଉପରେ)ରେ ଉତକ୍ଷେପଣ କରାଯିବ।
ପିଏସଏଲଭି ହେଉଛି ଏକ ଉତକ୍ଷେପଣ ଯାନ ଯାହା ମହାକାଶକୁ ଉପଗ୍ରହ ଏବଂ ଅନ୍ୟାନ୍ୟ ବିଭିନ୍ନ ପେଲୋଡ୍ ପରିବହନ କରିବାରେ ସାହାଯ୍ୟ କରେ । ୧୯୯୪ ଅକ୍ଟୋବରରେ ପ୍ରଥମ ପିଏସଏଲଭିକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା।