ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ, ନିୟମ ଅନୁସାରେ ସଂରକ୍ଷିତ ବଗିରେ ଯାତ୍ରା କରିପାରିବେ ନାହିଁ ପ୍ରତୀକ୍ଷିତ ଯାତ୍ରୀ। ସେଥିପାଇଁ ଅଣସଂରକ୍ଷିତ ବଗିରେ ଯାତ୍ରା କରୁଥିବା ତଥା ୱେଟିଂ ଲିଷ୍ଟରେ ଥିବା ଯାତ୍ରୀ କିମ୍ବା ସଂରକ୍ଷିତ ବଗିରେ ଅନଧିକୃତ ଭାବେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିବରଣୀ ରଖାଯାଇନାହିଁ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ସଞ୍ଜୟ ସିଂହ ରେଳମନ୍ତ୍ରୀଙ୍କୁ ଗତ ତିନି ବର୍ଷ ମଧ୍ୟରେ ଦେଶରେ ସମୁଦାୟ କେତେ ଯାତ୍ରୀ ଟିକେଟ କନଫର୍ମ ନଥିବାରୁ ୱେଟିଂ ଲିଷ୍ଟ ଟିକଟରେ ଯାତ୍ରା କରିବାକୁ ପଡିଛି ତାହାର ବିବରଣୀ ଦେବାକୁ କହିଥିଲେ। ଏହାସହିତ ପ୍ରତୀକ୍ଷାରେ ଥିବା ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ କରାଯାଉଥିବା ପ୍ରୟାସ ସମ୍ପର୍କରେ ମଧ୍ୟ ସୂଚନା ମାଗିଥିଲେ। ତେବେ ଏହାର ଉତ୍ତର ଦେଇଥିଲେ ଅଶ୍ୱିନୀ ବୈଷ୍ଣବ । ଉତ୍ତରରେ ବୈଷ୍ଣବ କହିଥିଲେ ଯେ, ଭାରତୀୟ ରେଳବାଇ ଅଧୀନରେ ଚଳାଚଳ କରୁଥିବା ସମସ୍ତ ଟ୍ରେନର ୱେଟିଂ ଲିଷ୍ଟର ସ୍ଥିତି ନିୟମିତ ଭାବେ ତଦାରଖ କରାଯାଉଛି। ଭାରତରେ ପର୍ବପର୍ବାଣୀ ସମୟରେ ଟ୍ରେନରେ ସଂରକ୍ଷଣକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ଅନେକ ଅସୁବିଧା ଦେଖିବାକୁ ମିଳୁଥିବା ବେଳେ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ। ସେଥିପାଇଁ ଅତିରିକ୍ତ ଚାହିଦା ପୂରା କରିବାକୁ ରେଳବାଇ ପକ୍ଷରୁ ପାର୍ବଣ, ଛୁଟି ଆଦି ସମୟରେ ସ୍ବତନ୍ତ୍ର ରେଳ ଚଳାଚଳ କରାଯାଇଥାଏ ଏବଂ ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଟ୍ରେନରେ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସ୍ତରରେ ଅତିରିକ୍ତ ସିଟ୍ର ବ୍ୟବସ୍ଥା କରିଥାଏ।