ଭୁବନେଶ୍ୱର: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ସୋମବାରଠାରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଦଳ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସିରିଜ। ଏହି ସିରିଜରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ମାତ୍ର ୫ ରନ୍ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି।
ମ୍ୟାଚ୍ ଆରମ୍ଭରେ ଟସ୍ ଜିତି ଭାରତ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏଥିରେ ୧୯.୪ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୧୪୯ ରନ୍ କରିଥିଲା ଅଷ୍ଟ୍ରେଲିଆ ଦଳ। ଏହାପରେ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଟିମ । ଜବାବରେ ଭାରତ ୭ ୱିକେଟ୍ ବିନିମୟରେ ୧୪୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଅଧିନାୟକ କାଭି ସାଇନି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଗୁରୁବାର ଉଭୟ ଦଳ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ।
କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, କିଟ୍ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କ୍ରିକେଟ୍ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ରିକେଟ୍ ସିରିଜକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଯୁଗ୍ମସମ୍ପାଦକ ବଲଜିତ୍ ସିଂହ ଶେଖାଓଁ, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଡେଭିଡ୍ ଆଣ୍ଟନ ସମୁଡ୍ ଓ କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ଏଭଳି ଦ୍ବିପାକ୍ଷିକ କ୍ରିକେଟ୍ ସିରିଜ ଆୟୋଜିତ ହୋଇଥିବା ବେଳେ ଏଥିରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବଛାବଛା ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି । କିଟ୍ ପକ୍ଷରୁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀଙ୍କ ରହଣି ଓ ଆତିଥ୍ୟ ପ୍ରଦାନ କରାଯାଉଛି।