ଭୁବନେଶ୍ୱର : ଓଡ଼ିଶାରେ ‘ଫେଙ୍ଗାଲ’ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ରବିବାରଠାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ଧୀରେ ଧୀରେ ଶୀତର ଲହରୀ ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡି ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତ ବଢିବା ନେଇ ପୂର୍ବାନୂମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।
ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାନୁସାରେ, ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୫୦ ମି.ମି. ବର୍ଷା ହୋଇଥିଲା। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆଜି କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନୟାଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ଼ ହୋଇଛି।