ସିଓଲ: ମାତ୍ର ୬ ଘଣ୍ଟାରେ ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି। ରାଷ୍ଟ୍ରରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା କାରଣରୁ ଦୀର୍ଘ ୪ ଦଶନ୍ଧି ପରେ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଲାଗୁ କରିଥିଲେ ୟୋନ୍ ସୁକ୍ ୟୋଲ। କିନ୍ତୁ ବିରୋଧୀ ଦଳର ଚାପି ଓ ଜନସାଧାରଣଙ୍କ ଦାବି ଯୋଗୁଁ ବୁଧବାର ସକାଳେ ଏହାକୁ ଉଚ୍ଛେଦ କରାଯିବାପାଇଁ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଉତ୍ତର କୋରିଆ ପ୍ରତି ସହାନୁଭୂତିଶୀଳ ବିରୋଧୀ ସଦସ୍ୟମାନେ ପାର୍ଲାମେଣ୍ଟକୁ ନିୟନ୍ତ୍ରଣକୁ ନେବା ସହ ସରକାରକୁ ଅଚଳ କରିଦେବାକୁ ଉଦ୍ୟମ କରୁଥିଲେ ବୋଲି ରାଷ୍ଟ୍ରପତି ଅଭିଯୋଗ କରିଥିଲେ। ୟୁନ୍ଙ୍କ ଦଳ ପିପୁଲ୍ସ ପାଓ୍ବାର ପାର୍ଟି ଏବଂ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ କୋରିଆରେ ରାଜନୖତିକ ଅସ୍ଥିରତା ଦେଖା ଦେଇଥିବାରୁ ସାମରିକ ଆଇନ ଲାଗୁ ହୋଇଥିଲା। ଏନେଇ ରାଷ୍ଟ୍ରପତି ଏକ ଟେଲିଭିଜନ ଅଭିଭାଷଣରେ ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତିଠାରୁ ଦେଶକୁ ରକ୍ଷା କରିବା ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ୱକୁ ନିପାତ କରିବା ପାଇଁ ଏହି ପଦକ୍ଷେପ ଜରୁରୀ ହୋଇପଡିଥିବା କହିଥିଲେ। ତେଣୁ ସାମରିକ ଆଇନ ଲାଗୁ ହୋଇଥିବା କହିଥିଲେ । କିନ୍ତୁ ଦକ୍ଷିଣ କୋରିଆ ପାର୍ଲାମେଣ୍ଟ ରାଷ୍ଟ୍ରପତିଙ୍କୁ ଅବମାନନା କରି ତୁରନ୍ତ ସାମରିକ ଆଇନ ଘୋଷଣା ହଟାଇବା ସପକ୍ଷରେ ଭୋଟ ଦେଇଥିଲା। ସେହିପରି ଜନସାଧାରଣ ମଧ୍ୟ ପାର୍ଲାମେଣ୍ଟ ବାହାରେ ଏକତ୍ରିତ ହୋଇ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଶେଷରେ ଚାପ ଆଗରେ ମୁଣ୍ଡ ନୁଆଇଁଥିଲେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଦେଶର ଶାସନ ଏବଂ ଗଣତନ୍ତ୍ର ଉପରେ କେଉଁ ପ୍ରଭାବ ପକାଇବ ତାହା ସ୍ପଷ୍ଟ ନହଉଣୁ ଏହାକୁ ମାତ୍ର ୬ ଘଣ୍ଟା ମଧ୍ୟରେ ସାମରିକ ଆଇନ ଘୋଷଣାକୁ ପ୍ରତ୍ୟାହାର କରାଯାଇଥିଲା।