ଦକ୍ଷିଣ ଦିଲ୍ଲୀ: ଖୁସିରେ ବିବାହ ବାର୍ଷିକୀ ପାଳିଥାନ୍ତେ, କିନ୍ତୁ ଘଟିଗଲା ଅଘଟଣ । ଏକାଥରେ ତିନି ତିନିଟା ପ୍ରାଣ ଚାଲିଗଲା। ପରିବାରର ତିନି ଜଣଙ୍କୁ ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ । ଏପରି ଅଭାବନୀୟ କାଣ୍ଡ ଘଟିଛି ଜାତୀୟ ରାଜଧାନୀ ଦିଲ୍ଲୀର ନେବ ସରାଇ ଅଞ୍ଚଳରେ। ଗୋଟିଏ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସେମାନେ ହରିୟାଣାର ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ବର୍ଷରୁ ଦକ୍ଷିଣ ଦିଲ୍ଲୀର ଦେଓଲି ଗ୍ରାମରେ ରହୁଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, ବୁଧବାର ସକାଳ ୫ଟାରୁ ୭ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଦମ୍ପତି ଓ ତାଙ୍କ ଝିଅଙ୍କୁ ଘରେ ପଶି ହତ୍ୟା କରାଯାଇଥିଲା। ମୃତକମାନେ ହେଲେ ରାଜେଶ ତନୱର, କୋମଲ ଓ କବିତା। ତେବେ ପୁଅ ପ୍ରାତଃଭ୍ରମଣରେ ଯାଇଥିବାରୁ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ଯେତେବେଳେ ସେ ୭ଟା ବେଳକୁ ଘରକୁ ଫେରିଥିଲେ, ସେତେବେଳେ ସେ ଘରେ ସମସ୍ତଙ୍କର ମୃତଦେହ ପଡିଥିବାର ଦେଖିଥିଲେ । ତିନି ଜଣଙ୍କୁ ବେକରେ ଛୁରି ଭୁସି ହତ୍ୟା କରାଯାଇଥିଲା। ଘରୁ କୌଣସି ଜିନିଷ ଚୋରି ହୋଇ ନଥିବା ବେଳେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏନେଇ ଖବର ପାଇ ପୋଲିସକୁ ଖବର ଦିଆଯିବା ପରେ ଟିମସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଏହାସହିତ ମୃତକମାନଙ୍କୁ ପୋଷ୍ଟମଟମ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।