ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଲାଗିଲା ବଡ଼ ଝଟକା। କ୍ରମାଗତ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ପୁଣିଥରେ ଗୋଆ ଟିମରୁ ବାଦ ଦିଆଯାଇଛି। ଜାରି ରହିଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଜୁନ ଗୋଆ ଟିମର ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରି ନାହାନ୍ତି ଅର୍ଜୁନ। ପୂର୍ବ ଗୋଆ ବିପକ୍ଷରେ କେରଳ ମ୍ୟାଚ୍ରେ ଅର୍ଜୁନଙ୍କୁ ସୁଯୋଗ ମିଳି ନଥିଲା। ତେଣୁ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ସେ ନଜର ଆସିବା ନେଇ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା। କିନ୍ତୁ ଏହି ମ୍ୟାଚରେ ମଧ୍ୟ ଏହି ବାମହାତୀ ଦ୍ରୁତ ବୋଲିଂ ଅଲରାଉଣ୍ଡର ଅର୍ଜୁନଙ୍କୁ ଗୋଆ ଚୂଡ଼ାନ୍ତ ଏକାଦଶରେ ରଖିନଥିଲା।
ନିକଟରେ ହୋଇଥିବା ଆଇପିଏଲ ମେଗା ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଥିଲା । କିନ୍ତୁ ଟି-୨୦ ଫର୍ମାଟରେ ଖେଳା ଯାଉଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଜୁନଙ୍କୁ ସୁଯୋଗ ନ ଦେବା ତାଙ୍କ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି।
ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଅର୍ଜୁନ ଗୋଆ ପାଇଁ ପ୍ରଥମ ମ୍ୟାଚ୍ ମୁମ୍ବାଇ ବିପକ୍ଷରେ ଖଳିଥିଲେ। ଏହି ମ୍ୟାଚ୍ରେ ସେ ୪ ଓଭର ବୋଲିଂ କରି ୪୮ ରନ ଦେଇଥିବା ବେଳେ ବ୍ୟାଟିଂ କରି ମାତ୍ର ୯ ରନ କରିଥିଲେ। ଏହି ମ୍ୟାଚରେ ଗୋଆ ପରାଜୟ ବରଣ କରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଅର୍ଜୁନ ସର୍ଭିସେସ ବିପକ୍ଷରେ ୩ ଓଭର ବୋଲିଂ କରି ୧୯ ରନ ଦେଇଥିବା ସତ୍ତ୍ୱେ ତାଙ୍କୁ ଗୋଟିଏ ବି ୱିକେଟ ମିଳିନଥିଲା। ସେହିପରି ତୃତୀୟ ମ୍ୟାଚ୍ରେ ସେ ଆନ୍ଧ୍ର ବିପକ୍ଷରେ ୩.୪ ଓଭରରେ ୩୬ ରନ ଦେଇଥିବା ବେଳେ ଗୋଟିଏ ବି ୱିକେଟ ପାଇ ନଥିଲେ। ତେବେ ଚତୁର୍ଥ ମ୍ୟାଚରେ ତାଙ୍କୁ ସୁଯୋଗ ମିଳି ନଥିବା ବେଳେ ପଞ୍ଚମ ମ୍ୟାଚରେ ମଧ୍ୟ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା। ଏହି ମ୍ୟାଚରେ ଗୋଆ ୪ ୱିକେଟରେ ମ୍ୟାଚ୍ ଜିତିଥିବା ବେଳେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଗୋଆ ପ୍ରଥମଥର ପାଇଁ ବିଜୟର ସ୍ୱାଦ ଚାଖିଥିଲା।