ଭୁବନେଶ୍ୱର : ଓଡ଼ିଶାରେ ‘ଫେଙ୍ଗାଲ’ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଥିଲା। କିନ୍ତୁ ଏହାର ପ୍ରଭାବ ଧୀରେ ଧୀରେ ଅପସରି ରାଜ୍ୟରେ ଶୀତର ଲହରୀ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୭ ତାରିଖ ବେଳକୁ ରାଜ୍ୟରେ ଶୀତ ବଢିବା ନେଇ ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପଣିଆପାଗ କେନ୍ଦ୍ର। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତ ବଢିବା ସହ ସର୍ବନିମ୍ନ ରାତି ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନ ମଧ୍ୟରେ କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଶୀତ ସହ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ଗୁରୁବାର ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ।