ଭୁବନେଶ୍ୱର: ଆଇପିଏସ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ନିଯୁକ୍ତ କରାଯାଇଛି। ଆସନ୍ତା ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏହି ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ସମୟରେ ମିଛ କହି ମେଡିକାଲ୍ ଛୁଟିରେ ଥିଲେ ଆଶିଷ ସିଂ। ନିର୍ବାଚନ ବେଳେ ସେ ସେତେବେଳର ଶାସକ ଦଳ ପ୍ରତି ଉଦାରତା ଦେଖାଉଥିବା ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ର ବିଜେପି ଅଭିଯୋଗ ଆଣିଥିଲା। ସେ ବିଜେଡି ଦଳ ପାଇଁ ନିର୍ବାଚନ ପ୍ରଚାର ତଥା ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଗତ ଏପ୍ରିଲ ୫ରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦଵୀରୁ ହଟାଯାଇ ପରେ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା।
ଏହାସହିତ ମେଡିକାଲ ଲିଭରେ ଥିବା ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଇସିଆଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱରସ୍ଥିତ ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟରେ ଜଣାପଡ଼ିଥିଲା ଯେ, ଆଶିଷ ମିଛ କହି ଛୁଟିରେ ଥିଲେ। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଥିଲେ।