ନୂଆଦିଲ୍ଳୀ: ସିରିଆରେ ଗୃହଯୁଦ୍ଧ ସ୍ଥିତି ଦିନକୁ ଦିନ ସଂଗୀନ ହୋଇପଡିଲାଣି। ସିରିଆରେ ବିଦ୍ରୋହୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ଜୀବନକୁ ଦୃଷ୍ଟିରେ ରଖି ଭାରତ ସରକାର ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ରାତି ଅଧିଆ ଏକ ଆଡଭାଇଜରି ଜାରି କରିଛନ୍ତି। ଭାରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ଆଡଭାଇଜରିରେ ଭାରତୀୟ ନାଗରିକଙ୍କୁ ତୁରନ୍ତ ସିରିଆ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯିବା ପର୍ଯ୍ୟନ୍ତ ସିରିଆ ଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇ ମନେତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ୱେବସାଇଟରେ ମେଲ କରିବା ସହିତ ଜରୁରୀକାଳୀନ ହେଲ୍ପଲାଇନ ନମ୍ବରରେ ସମ୍ପର୍କ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରକାଶଥାଉ କି, ଗତ ସପ୍ତାହରୁ ସିରିଆରେ ଗୃହଯୁଦ୍ଧ ଲାଗି ରହିଛି। ହାୟାତ-ତାହିର-ଅଲ-ଶାମ ନାମକ ବିଦ୍ରୋହୀ ସଂଗଠନ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇଛି। ଦଳର ମୁଖ୍ୟ ଅବୁ ମହମ୍ମଦ ଅଲ୍-ଜୋଲାନି ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କୁ କ୍ଷମତାରୁ ହଟାଇ ନିଜର ନିୟନ୍ତ୍ରଣ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ସେମାନେ ଲଗାତାର ସିରିଆର ବିଭିନ୍ନ ଅଂଚଳରେ ଆକ୍ରମଣ କରି ସେହିସ୍ଥାନ ଗୁଡିକୁ ଅଧିକାର କରୁଛନ୍ତି। ଗତ ୩୦ରେ ସିରିଆର ଦ୍ୱିତୀୟ ବୃହତ୍ତମ ସହର ଆଲେପ୍ପୋକୁ କବଜା କରିଥିଲେ ବିଦ୍ରୋହିମାନେ। ଏହା ପରେ ସେମାନେ ଦକ୍ଷିଣରେ ଥିବା ହାମା ପ୍ରଦେଶ, ଉତ୍ତର ଏବଂ କେନ୍ଦ୍ରୀୟ ହାମାର ୪ଟି ସହରକୁ ମଧ୍ୟ କବଜା କରିସାରିଲେଣି। ସେମାନେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି। ଏଯାବତ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ବିଦ୍ରୋହୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ।