ଆଡିଲେଡ: ଆଡିଲେଡ ଓଭାଲରେ ଚାଲିଥିବା ପିଙ୍କ ବଲ ମ୍ୟାଚରେ ଟ୍ରାଭିସ ହେଡ୍ ରନ ବର୍ଷା କରିଛନ୍ତି। ଶନିବାର ଭାରତ ବିପକ୍ଷ ପିଙ୍କ ବଲ ମ୍ୟାଚରେ ସେ ୧୪୦ ରନର ଇନିଂସ ଖେଳି ଡନ ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇଛନ୍ତି। ଏହା ଆଡିଲେଡ ଓଭାଲରେ ହେଡ୍ଙ୍କର ଏହା ତୃତୀୟ ଶତକ ହୋଇଥିବା ବେଳେ ମାତ୍ର ୧୧୧ ବଲରେ ସେ ଶତକ ହାସଲ କରିଛନ୍ତି। ଶତକ ହାସଲ କରିବାରେ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୮ମ ଓ ଭାରତ ବିପକ୍ଷରେ ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ ବିପକ୍ଷରେ ସେ ଶତକ ହାସଲ କରିଥିଲେ। ହେଡ ତାଙ୍କ ୧୪୦ ରନର ଇନିଂସରେ ୧୭ଟି ଚୌକା ଓ ୪ଟି ଛକା ମାରିଛନ୍ତି।
ଶନିବାର ଭାରତ ବିପକ୍ଷ ଆଡିଲେଡ ଓଭାଲରେ ଶତକ ହାସଲ କରି ହେଡ଼ କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇଛନ୍ତି। ଆଡିଲେଡ ଓଭାଲରେ ହେଡ ଓ ବ୍ରାଡମ୍ୟାନ ସମାନ ୩ଟି ଲେଖାଏ ଶତକ ମାରିବାର ରେକର୍ଡ କରିଛନ୍ତି। ଦ୍ୱିତୀୟ ଦିନର ପ୍ରଥମରୁ ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆକୁ ଲଗାତାର ଦୁଇଟି ଝଟକା ଦେଇ ପ୍ରଥମେ ନାଥନ ମ୍ୟାନସ୍ୱିନୀ ଓ ପରେ ଷ୍ଟାର ବ୍ୟାଟର ଷ୍ଟିଭ ସ୍ମିଥଙ୍କ ୱିକେଟ ନେଇ ଅଷ୍ଟ୍ରେଲିଆର ଚାପ ବଢ଼ାଇଥିଲେ। କିନ୍ତୁ ହେଡ୍ କ୍ରିଜକୁ ଆସିବା ମାତ୍ରେ କାଉଣ୍ଟର ଆଟାକ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।
ତେବେ ଆଡିଲେଡ ଓଭାଲରେ ସର୍ବାଧିକ ଶତକ ମାରିବାର ରେକର୍ଡ ମାଇକେଲ କ୍ଲାର୍କଙ୍କ ନାଁରେ ରହିଥିବା ବେଳେ ରିକି ପଣ୍ଟିଂ ଦ୍ଵିତୀୟ ଓ ଡାଭିଡ ବୁନ ତୃତୀୟ ସ୍ଥାନରେ ଅଛନ୍ତି।