-
-
- ବିଜେପିକୁ ଆପ୍ର ଟାର୍ଗେଟ୍, ବଦଳିଛି କଂଗ୍ରେସର ଚାଲ୍
- ସରଗରମ ଅଠାବୋଳା ରାଜନୀତି
ନୂଆଦିଲ୍ଲୀ,୭।୧୨: ବିଧାନସଭା ନିର୍ବାଚନ ପୂର୍ବରୁ ଦୋହଲୁଛି ଦିଲ୍ଲୀ। ଆରମ୍ଭ ହୋଇଯାଇଛି ରାଜନୈତିକ ଯୁଦ୍ଧ। ୮ ଦିନରେ ଘଟିଛି ୧୧ ହତ୍ୟାକାଣ୍ଡ । ଥରୁଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ସେପଟେ ଆମ ଆଦମୀ ପାର୍ଟି (ଆପ୍) ବିଜେପିକୁ ଟାର୍ଗେଟ କରୁଥିବା ବେଳେ ବଦଳିଯାଇଛି କଂଗ୍ରେସର ଚାଲ୍। ଚାଲିଛି ଯୋରଦାର ଅଠାବୋଲା ରାଜନୀତି ।
ଦିନକୁ ଦିନ ଦିଲ୍ଲୀରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମାତ୍ର ୮ ଦିନ ଭିତରେ ୧୧ ଜଣଙ୍କୁ ହତ୍ୟା କରାଯିବା ଘଟଣା ରାଜଧାନୀରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସତର୍କ ଘଣ୍ଟି ବଜାଇଲାଣି। ବିଧାନସଭା ନିର୍ବାଚନକୁ ପାଖାପାଖି ୩ ମାସ ବାକି ଥିବା ବେଳେ ଏହି ଘଟଣା ଦିଲ୍ଲୀରେ ଦୁଇ ପ୍ରମୁଖ ବିରୋଧୀ ଦଳକୁ ଗରମାଗରମ ପ୍ରସଙ୍ଗ ଯୋଗାଇ ଦେଇଛି। ଆଶ୍ଚର୍ଯ୍ୟଜନକ ଭାବେ ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବାକୁ ବାହାରିଥିବା ଇଣ୍ଡିଆ ମେଣ୍ଟର ସଦସ୍ୟ ଦଳ ଆପ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି କଂଗ୍ରେସ। ସେପଟେ ଦିଲ୍ଲୀରେ ଆଇନଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗୁଡୁ ଥିବା ବେଳେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆପ୍ ନେତା ଅରବିନ୍ଦ କେଜରିଓ୍ବାଲ େକନ୍ଦ୍ରକୁ ବାରମ୍ବାର ନିବେଦନ କରିଛନ୍ତି। ଦିଲ୍ଲୀ ପୋଲିସର ନିୟନ୍ତ୍ରଣ ସିଧାସଳଖ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ହାତରେ ଥିବା ବେଳେ ଶାହା କେବଳ ନିର୍ବାଚନରେ ବ୍ୟସ୍ତ ଥିବା ସମାଲୋଚନା କରିଛନ୍ତି କେଜରିଓ୍ବାଲ।
ଦିଲ୍ଲୀର ପ୍ରମୁଖ ଅଞ୍ଚଳଗୁଡିକରେ ୮ ଦିନ ଭିତରେ ଯେଉଁ ୧୧ ଜଣଙ୍କୁ ହତ୍ୟା କରାଯାଇଛଇ ସେମାନଙ୍କ ଅଛନ୍ତି ଖୋଦ୍ ଜଣେ ପୋଲିସ କର୍ମଚାରୀ। ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଲ ଆଜାଦ ଅଖତାରଙ୍କୁ ନଭେମ୍ବର ୩୦ରେ ଜଣେ ଅପରାଧୀ ଓ ତାର ସହଯୋଗୀମାନେ ଛୁରାମାଡ଼ କରି ହତ୍ୟା କରିଥିଲେ। ଡିସେମ୍ବର ୧ରେ ତିନୋଟି ହତ୍ୟାକାଣ୍ଡ ଘଟିଥିଲା। ଏ ତିନୋଟି ଘଟଣାରେ ମୃତକଙ୍କୁ ଛୁରାମାଡ କରାଯାଇଥିଲା। ଡିସେମ୍ବର ୨ରେ ୧୯ ବର୍ଷ ବୟସ୍କ ଜଣେ ଯୁବକଙ୍କୁ କଥା କଟାକଟି ପରେ ଛୁରାମାଡ ହୋଇଥିଲା। ଡିସେମ୍ବର ୪ରେ ନେବ ସରାଇ ଅଞ୍ଚଳରେ ଟ୍ରିପିଲ ମର୍ଡର ଘଟଣା ସମ୍ମୁଖକୁ ଆସିଥିବା ବେଳେ ଡିସେମ୍ବର ୬ରେ ଜଣେ ବ୍ୟକ୍ତି ବୈବାହିକ କଳହକୁ ନେଇ ନିଜ ମା’ଙ୍କୁ ହତ୍ୟା କରିଥିଲେ। ଶନିବାର ଗୋବିନ୍ଦପୁରୀ ଓ ଶାହଦରାରେ ଗୋଟିଏ ଲେଖାଏଁ ହତ୍ୟାକାଣ୍ଡ ଘଟିଛି। ବ୍ୟାକ୍-ଟୁ-ବ୍ୟାକ୍ ଦିଲ୍ଲୀରେ ଏଭଳି ହତ୍ୟାକାଣ୍ଡ ରାଷ୍ଟ୍ରୀୟ ରାଜଧାନୀରେ ଜଙ୍ଗଲ ରାଜ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତି କାୟମ ରଖିବାରେ ବିଫଳ ହୋଇଥିବା ଦର୍ଶାଇ କେଜରିଓ୍ବାଲ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଟଙ୍କା ପାଇଁ ସହରର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଖୋଲା ଧମକ ମିଳୁଥିବା ବେଳେ ପୋଲିସ ହାତ ବାନ୍ଧି ବସିଛି।
ମାତ୍ର କଂଗ୍ରେସ ଏ ପ୍ରସଙ୍ଗରେ ବିଜେପିକୁ ଘେରିବା ପରିବର୍ତ୍ତେ ଆପ୍କୁ ଟାର୍ଗେଟ କରିଛି। ସହର ସାରା ସିସିଟିଭି କ୍ୟାମେରା ଲଗାଇବା ନେଇ ଆପ୍ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବାରୁ ଦଳକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। ସେପଟେ ବିଜେପି ପକ୍ଷରୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
-