ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ନେଇ ମୁମ୍ବାଇ ପୋଲିସକୁ ଶନିବାର ଏକ ହ୍ବାଟସଆପ୍ ମେସେଜ ମିଳିଛି। ଭୋର ସମୟରେ ଟ୍ରାଫିକ୍ ପୋଲିସ ହେଲପଲାଇନ ନମ୍ବରକୁ ଏହି ମେସେଜ୍ ଆସିଥିଲା। ମୋଦୀଙ୍କୁ ଟାର୍ଗେଟ କରି ଆଇଏସଆଇର ଦୁଇ ଜଣ ଆତଙ୍କୀ ବିସ୍ଫୋରଣ ଘଟାଇବାର ଷଡ଼ଯନ୍ତ୍ର ରଚା ଯାଇଥିବା ଏହି ମେସେଜ୍ରେ ଉଲ୍ଲେଖ କରାଯାଇଥିଲା। ଯେଉଁ ନମ୍ବରରୁ ମେସେଜ ଆସିଛି ତାହା ରାଜସ୍ଥାନ ଅନ୍ତର୍ଗତ ଅଜମେରର ବୋଲି ତନାଘନା ପରେ ପୋଲିସ ଜାଣିବାକୁ ପାଇଛି। ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ପୋଲିସ ଦଳ ଅଜମେର ଅଭିମୁଖେ ବାହାରିଯାଇଥିବା ପୋଲିସ ସୂଚନା ଦେଇଛି। ପ୍ରାଥମିକ ତଦନ୍ତ ଅନୁସାରେ ବାର୍ତ୍ତା ପଠାଇଥିବା ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ଅଥବା ମଦ୍ୟପ ହୋଇଥାଇପାରନ୍ତି। ଏହି ଘଟଣାକୁ ନେଇ ଭାରତୀୟ ନ୍ୟାୟ ସଂହିତାର ଧାରା ଅଧୀନରେ ଏକ ଏଫଆଇଆର ରୁକୁ କରି ପୋଲିସ ତଦନ୍ତ ଜାରି ରଖିଛି।
ସେହିଭଳି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠଙ୍କୁ ହତ୍ୟା ଧମକ ଦେଇ ୫୦ ଲକ୍ଷ ଟଙ୍କା ମୁଣ୍ଡଜାମିନ ମଗାଯାଇଥିବା ଜଣାପଡିଛି। ସେଠ୍ ଏ ସମ୍ବନ୍ଧରେ ଦିଲ୍ଲୀ ପୋଲିସ ଏବଂ ଝାଡଖଣ୍ଡ ପୋଲିସ ଡିଜିଙ୍କୁ ଅବଗତ କରିଛନ୍ତି।