ଭୁବନେଶ୍ୱର ବ୍ୟୁରୋ: ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ କରି ଭୁବନେଶ୍ୱର ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ)ର ଆଡହକ ଆଡିସନାଲ ସେସନ ଜଜ ସରୋଜ କୁମାର ସାହୁ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଏହି ମାମଲାରେ ବିଚାରପତି ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା ଅର୍ଥ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୩ ମାସ ଅଭିଯୁକ୍ତ କାରାଦଣ୍ଡ ଭୋଗିବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ବାଲିଅନ୍ତା ଥାନା ଅଞ୍ଚଳର ଦୀପୁ ବେହେରା ଓରଫ ଦୀପକ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ୧୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ଆବଶ୍ୟକୀୟ ଦସ୍ତାବିଜକୁ କୋର୍ଟରେ ଦାଖଲ କରାଯାଇଥିଲା । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ବଳରାମ ଦେଓ ପରିଚାଳନା କରୁଥିଲେ । ମାମଲାର ତଦନ୍ତ ବାଲିଅନ୍ତା ଥାନାର ସବଇନ୍ସପେକ୍ଟର ତୃପ୍ତୀମୟୀ ରାଉତ କରୁଥିଲେ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଏବଂ ପୀଡ଼ିତା ବାଲିଅନ୍ତା ଗାଁର । ୨୦୨୦ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ପୀଡ଼ିତା ଜଣଙ୍କ ନିଜ ଘର ପଛପାଖକୁ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ଦୀପକ ତାଙ୍କୁ ବାଡ଼ିପଟକୁ ଜୋରଜବରଦସ୍ତି ଟେକି ନେଇ ଦୁର୍ଷ୍କମ କରିଥିଲା । ଘରକୁ ଫେରି ପୀଡ଼ିତା ଜଣଙ୍କ ଘଟଣା ସଂକ୍ରାନ୍ତରେ ନିଜ ମାକୁ କହିଥିଲେ । ଏନେଇ ପୀଡ଼ିତାଙ୍କ ଘର ଲୋକେ ପ୍ରଥମେ ସ୍ଥାନୀୟ ୱାର୍ଡମେମ୍ବର ଓ ଗାଁ ମୁରବୀଙ୍କୁ କହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଗାଁ ପଞ୍ଚାୟତରେ ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ପଚାୟତରେ ଉପସ୍ଥିତ ହୋଇ ନ ଥିଲା । ଫଳରେ ପୀଡ଼ିତାଙ୍କ ମା’ ଏନେଇ ଥାନାରେ ଦାରସ୍ଥ ହେବା ପରେ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀମାଇନା କରି ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା ।