ନୂଆଦିଲ୍ଲୀ: ପୁଣି ଥରେ ବିଫଳ ହୋଇଛି ଦିଲ୍ଲୀରେ ଚାଷୀଙ୍କ ପ୍ରବେଶ ଉଦ୍ୟମ। ସମ୍ଭୁ ସୀମାରୁ ଆଗକୁ ବଢି ପାରୁ ନାହାନ୍ତି ଚାଷୀ। ବାଧା ଦେଉଛି ପୋଲିସର କଡ଼ା ଆଭିମୁଖ୍ୟ। ରବିବାର ଦିଲ୍ଲୀ ଚଲୋ ଅଭିଯାନ କ୍ରମେ ପଞ୍ଜାବ ଓ ହରିଆଣାର ଶତାଧିକ ଚାଷୀ ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ମାତ୍ର ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଅଟକାଇବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୂର୍ବଠାରୁ ଅଧିକ ତାରବାଡ, ସିମେଣ୍ଟ ସ୍ଲାପ ଓ ବ୍ୟାରିକେଡ ରଖି ପୋଲିସ ଚାଷୀଙ୍କ ବାଟ ରୋକିଥିଲେ।
୧୦୧ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦେବା ନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଦାବି ହୋଇଥିଲେ ମଧ୍ୟ ପୋଲିସ ଅନୁମତି ଦେଇ ନ ଥିଲା। ଫଳରେ ଚାଷୀ ବ୍ୟାରିକେଡ୍ ଡେଇଁ ପୁନଃ ପ୍ରବେଶ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ମଧ୍ୟ ସେମାନଙ୍କୁ ବାଟ ନ ଛାଡିବା ଜିଦରେ ଥିଲା। ପରିସ୍ଥିତି ଅଣାୟତ ହେବାରୁ ପୋଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏଥିସହ ଚାଷୀଙ୍କୁ ଅଟକାଇବାକୁ ପୋଲିସ ଏଥର ଲୁହବୁହା ଗ୍ୟାସ ସହିତ ମରିଚ ଗୁଣ୍ଡ ସ୍ପ୍ରେ ମଧ୍ୟ ବ୍ୟବହାର କରିଥିଲା। କୌଣସି ଚାଷୀ ଏକାକୀ ବ୍ୟାରିକେଡ ନିକଟକୁ ଆସିଲେ ସେମାନଙ୍କୁ ମରିଚ ଗୁଣ୍ଡ ସ୍ପ୍ରେ କରୁଥିଲା ପୋଲିସ। ପ୍ରତିଜବାବରେ ଏଥର ଚାଷୀ ମଧ୍ୟ ପ୍ରସ୍ତୁତ ହୋଇ ଆସିଥିଲେ। ଲୁହବୁହା ଗ୍ୟାସ ଓ ମରିଚ ଗୁଣ୍ଡ ସ୍ପ୍ରେରୁ ସୁରକ୍ଷା ପାଇଁ ସେମାନେ ଝୋଟ ତିଆରି ବ୍ୟାଗ୍କୁ ଓଦା କରି ଆଖିରେ ମାରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ପୋଲିସ ପ୍ରବଳ ଶକ୍ତି ପ୍ରୟୋଗ କାରଣରୁ ଚାଷୀ ଆଗକୁ ବଢି ପାରି ନ ଥିଲେ। ପଞ୍ଜାବ ଓ ହରିୟାଣାର ଏହି ଚାଷୀମାନେ ଏମଏସପି ଗ୍ୟାରେଣ୍ଟି ସହିତ ନିଜର ବହୁ ଦାବି ନେଇ ଦିଲ୍ଲୀରେ ପ୍ରବେଶ କରିବା ଲାଗି ଗତ ଫେବୃଆରୀରୁ ସମ୍ଭୁ ସୀମାରେ ଅଟକି ରହିଛନ୍ତି। ମାତ୍ର ସେମାନଙ୍କୁ ପ୍ରବେଶ ଅନୁମତି ମିଳୁ ନାହିଁ। ଯାହାପରେ ଚାଷୀ ଦିନକ ପାଇଁ ଦିଲ୍ଲୀ ଚଲୋ ପଦଯାତ୍ରା ସ୍ଥଗିତ ରଖିଛନ୍ତି। ସେପଟେ ଗୌତମ ବୁଦ୍ଧ ନଗର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ଚାଷୀ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି।