କଟକ, କଟକ ମହାନଗର ନିଗମ ଦ୍ୱାରା ୧ ନମ୍ବର ୱାର୍ଡ଼ ବିଡ଼ାନାସି ଅଂଚଳରେ ଡ୍ରେନ କାମ ଚାଲିଥିବା ବେଳେ ରବିବାର ଦିନ ଅଘଟଣ ଘଟିଛି। ସିଏମସି ଦ୍ୱାରା ନିର୍ମାଣ ହେଉଥିବା ଏକ ଡ଼୍ରେନ ନିକଟରେ ଥିବା ଏକ ପାଚେରୀ ଭୁଷୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ୫ଜଣ ଶ୍ରମିକଙ୍କ ମଧ୍ୟରୁ ୨ ଜଣ ପାଚେରୀ ତଳେ ଚାପି ହୋଇ ଯାଇଥିଲେ। ନିକଟରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକେ ୨ ଜଣକୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଥÒବା ଜଣାପଡ଼ିଛି। ମୃତକ ହେଲେ ପଟ୍ଟାପୋଲ ଅଂଚଳର ଶଙ୍କର, ଆହତ ବ୍ୟକ୍ତି ହେଉଛନ୍ତି ସେହି ପଟ୍ଟାପୋଲ ଅଂଚଳର ତାଜିଆ।
ଭୁଷୁଡ଼ିଥିବା ପାଚେରୀଟି ବିପଦସଂକୁଳ ଅବସ୍ଥାରେ ରହିଥିବା କଥା ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କୁ ଜଣାଇଥିଲେ । ହେଲେ ଠିକାଦାର କୌଣସି ବିକଳ୍ପ ବ୍ୟବସ୍ଥା ନକରିବାରୁ ଏଭଳି ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଘଟଣା ଘଟିବା ପରେ ପଟ୍ଟାପୋଲ ଅଂଚଳର ସଂପର୍କୀୟମାନେ ସେଠାରେ ପହଞ୍ଚିଥିଲେ । ଠିକାଦାର ଶ୍ରମିକମାନଙ୍କ ନିରାପତ୍ତା ପାଇଁ କୌଣସି ଉପକରଣ ଦେଇ ନଥିବା ସଂପର୍କୀୟମାନେ ଅଭିଯୋଗ କରିଛନ୍ତି । ଏପରିକି ଠିକାଦାର ଶିଶୁ ଶ୍ରମିକମାନଙ୍କୁ ମଧ୍ୟ କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ୪ଟି ପିଲା ଥିବାରୁ ତାଙ୍କୁ କ୍ଷତି ପୂରଣ ଦେବା ସହ ଠିକାଦାରଙ୍କ ବିରୋଧରେ ମୃତକଙ୍କ ପତ୍ନୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅପରପକ୍ଷରେ କିଛି ମାସ ତଳେ ବିଡ଼ାନାସୀରେ ଏଭଳି ଅଘଟଣ ଘଟିଥିଲେ ମଧ୍ୟ କଟକ ମହାନଗର ନିଗମ କେବଳ ଅନୁକମ୍ପା ରାଶି ପ୍ରଦାନ କରି ନିଜ କର୍ତ୍ତବ୍ୟ ସାରି ଦେଇଥିଲା । ତେବେ ଆଜି ତାହାର ପୁନରାବୃତ୍ତି ହେବା ପରେ କଟକ ମହାନଗର ନିଗମର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଛି। ଏହି ଘଟଣାକୁ ନେଇ ବିଡ଼ାନାସି ଅଂଚଳବାସୀ କଟକ ମହାନଗର ନିଗମକୁ ଦାୟୀ କରିଛନ୍ତି ।