ଆଡିଲେଡ: ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ଭାବରେ ପରାସ୍ତ ହୋଇଛି । ତାହାସହିତ ଭାରତୀ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ଦୁର୍ଭାଗ୍ୟଜନକ ତାଲିକାରେ ସ୍ଥାନ ପାଇଛନ୍ତି । ସେ ଅଧିନାୟକ ଭାବରେ କ୍ରମାଗତ ଚତୁର୍ଥ ଟେଷ୍ଟରେ ପରାସ୍ତ ହୋଇ ଏହି ତାଲିକାରେ ରହିଛନ୍ତି । ତାଙ୍କ ସହିତ ଏହି ତାଲିକାରେ ବିରାଟ କୋହଲି, ଏମ ଏସ ଧୋନି, ସଚିନ ତେନ୍ଦୁଲକରଙ୍କ ଭଳି ପ୍ରତିଷ୍ଠିତ ଅଧିନାୟକମାନେ ମଧ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ପୁତ୍ର ସନ୍ତାନର ଜନକ ହେବାପରେ କିଛି ଦିନ ଛୁଟିନେଇ ଘରେ ରହିବା କାରଣରୁ ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଖେଳିପାରିନଥିଲେ । ଉକ୍ତ ଟେଷ୍ଟରେ ଭାରତ ବିଜୟ ଲାଭ କରିଥିଲା । ପରେ ସେ ଅଷ୍ଟ୍ରେଲିଆରେ ପହଞ୍ଚି ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ଭାର ଗ୍ରହଣ କରିଥିଲେ । କିନ୍ତୁ ଦଳକୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ସେ କ୍ରମାଗତ ଚାରିଟି ଟେଷ୍ଟରେ ଅଧିନାୟକ ଭାବରେ ପରାଜୟ ବରଣ କରିଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି, ଏମ ଏସ ଧୋନି, ସଚିନ ତେନ୍ଦୁଲକର, ଦତ୍ତା ଗାଏକ୍ୱାଡ ଏବଂ ଏମ୍ କେ ପେଟୋଡି ମଧ୍ୟ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବରେ କ୍ରମାଗତ ଚାରିଟି ଟେଷ୍ଟରେ ପରାସ୍ତ ହୋଇଥିଲେ ।