ଆଡିଲେଡ: ଏଠାରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ଶୋଚନୀୟ ପରାଜୟ ବରଣ କରିଛି । ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତକୁ ୧୦ ୱିକେଟରେ ପରାସ୍ତ କରି ୫ ଟିକିଆ ଟେଷ୍ଟ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି । ଭାରତ ପକ୍ଷରୁ ବୃହତ୍ ସ୍କୋରର୍ ଭାବରେ ବିବେଚିତ ହେଉଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ ସେମାନଙ୍କ ଯାଦୁ ଦେଖାଇବାରେ ବିଫଳ ହୋଇଛନ୍ତି । ଏପରିକି ଏହି ପାଞ୍ଚଦିନିଆ ମ୍ୟାଚ୍ ତିନିଦିନରୁ କମ୍ ସମୟ ମଧ୍ୟରେ ଶେଷ ହୋଇଛି ।
ଭାରତ ପ୍ରଥମ ପାଳିରେ ୪୪.୧ ଓଭରରେ ସମସ୍ତ ୱିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିବା ପରେ ଅଷ୍ଟ୍ରେଲିଆ ତାହାର ପ୍ରଥମ ଇନିଂସରେ ୮୭.୩ ଓଭରରେ ୩୩୭ ରନ୍ ସଂଗ୍ରହ କରିଥିଲା । ପରେ ଭାରତ ଦ୍ୱିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହିତ ୩୬.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୭୫ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ପରେ ତୃତୀୟ ଦିନ ଅଷ୍ଟ୍ରେଲିଆ ତାହାର ଦ୍ୱିତୀୟ ପାଳିରେ ୩.୨ ଓଭରରେ ୧୯ ରନ୍ ସଂଗ୍ରହ କରି ୧୦ ୱିକେଟରେ ବିଜୟ ହାସଲ କରିଥିଲା ।
ରବିବାର ଅପରାହ୍ଣରେ ଭାରତ ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୧୨୯/୫ରୁ ବ୍ୟାଟିଂ ଆରମ୍ଭ କରିବା ପରେ ଏହା ଅଷ୍ଟ୍ରେଲିଆ ବୋଲରମାନଙ୍କର କଡା ମୁକାବିଲା କରିବା ଆଶା କରାଯାଉଥିଲା । କିନ୍ତୁ ପୂର୍ବ ଦୁଇଥର ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ଦଳର ଯେଉଁ ଏକାଗ୍ରତା ଓ ମଜଭୁତପଣ ପରିଲକ୍ଷିତ ହୋଇଥିଲା, ତାହା ଏହି ଦ୍ୱିତୀୟ ଟେଷ୍ଟରେ ଦେଖିବାକୁ ମିଳିନଥିଲା । ଫଳରେ ମାତ୍ର ଘଣ୍ଟାଏରୁ ଅଳ୍ପ କିଛି ସମୟ ମଧ୍ୟରେ ଦଳ ସମସ୍ତ ୱିକେଟ ହରାଇଥିଲା । ମିଚେଲ ଷ୍ଟାର୍କ ଦ୍ୱିତୀୟ ଦିନ ଅପରାଜିତ ଥିବା ରିଷଭ ପନ୍ତଙ୍କୁ ପ୍ରଥମ ଓଭରରେ ଆଉଟ କରାଇବାରେ ସଫଳ ହୋଇଥିଲେ । ରବିଚନ୍ଦ୍ର ଅଶ୍ୱିନ ମାତ୍ର ୧୪ଟି ବଲ୍ ଖେଳିବାକୁ ସମର୍ଥ ହୋଇଥିଲେ । ନୀତିଶ ରେଡ୍ଡି ଅଷ୍ଟ୍ରେଲିଆ ବୋଲରଙ୍କ କଡା ମୁକାବିଲା କରିବା ସହିତ ବ୍ୟକ୍ତିଗତ ୪୨ ରନ୍ ସଂଗ୍ରହ କରିଥିଲେ । ତେବେ ଭାରତ ଦୁଇ ପାଳିରେ ଅଷ୍ଟ୍ରେଲିଆର ପ୍ରଥମ ପାଳି ଠାରୁ ମାତ୍ର ୧୯ ରନ୍ ଅଗ୍ରଣୀ ହାସଲ କରିଥିଲା । ପରେ ଘରୋଇ ଦଳ ୩.୨ ଓଭରରେ ବିନା କ୍ଷତିରେ ତାହା ସଂଗ୍ରହ କରିବା ସହିତ ଭାରତ ବିପକ୍ଷରେ ୧୦ ୱିକେଟରେ ବିଜୟ ହାସଲ କରିଥିଲା ।