ନୂଆଦିଲ୍ଲୀ: ବିମାନବନ୍ଦର, ହସ୍ପିଟାଲ ଓ ଐତିହାସିକ ସ୍ଥଳ ପରେ ଏବେ ଟାର୍ଗେଟରେ ସ୍କୁଲ। ସୋମବାର ଦିଲ୍ଲୀର ପ୍ରାୟ ୪୦ଟି ସ୍କୁଲ ଉପରେ ବୋମା ପକାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିଛି।
ସୋମବାର ସକାଳ ୭ଟାରେ ଏକାଧାରରେ ଆର.କେ ପୁରମର ଡିପିଏସ, ପଶ୍ଚିମ ବିହାରର ଜିଡି ଗୋଏଙ୍କା ସ୍କୁଲ, ମଦର ମେରି ସ୍କୁଲ ସମେତ ୪୦ଟି ସ୍କୁଲ ମ୍ୟାନେଜମେଣ୍ଟକୁ ବୋମା ଧମକ ଇମେଲ ମିଳିଥିଲା। ଏହି ସମୟରେ ପିଲାମାନେ ବିଦ୍ୟାଳୟରେ ପ୍ରବେଶ କରୁଥିଲେ। ମାତ୍ର ଇମେଲ ପାଇବା ପରେ ତୁରନ୍ତ ପିଲାମାନଙ୍କୁ ପ୍ରଥମେ ଘରକୁ ପଠାଯାଇ ପୋଲିସକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସ ଟିମ ସ୍କୁଲମାନଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଇମେଲକୁ ଯାଞ୍ଚକରି ଘଟଣାର ତଦନ୍ତ ଚଳାଇଥିବା ବେଳେ କିଏ ଓ କାହିଁକି ଏଭଳି ମେଲ୍ ପଠାଇଛି ତାହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।