ମସ୍କୋ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷିଆର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ସେ ଡିସେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଆନ୍ଦ୍ରେଇ ବେଲୋସୋଭଙ୍କ ସହ ଭାରତ-ରୁଷିଆ ସାମରିକ-ବୈଷୟିକ ସହଯୋଗ ଆୟୋଗ (ଆଇଆରଆଇଜିସି ଏମଆଣ୍ଡଏମଟିସି)ର ସହ-ଅଧ୍ୟକ୍ଷତା କରିବେ।
ରବିବାର ବିଳମ୍ବିତ ରାତିରେ ରୁଷିଆରେ ପହଁଚିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଭେଙ୍କଟେଶ କୁମାର ଏବଂ ରୁଷର ଉପ ପ୍ରତିରକ୍ଷା ମନ୍ତ୍ରୀ ଆଲେକଜାଣ୍ଡର ଫୋମିନ୍ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ସୋଭିଏତ ସୈନିକଙ୍କ ସମ୍ମାନାର୍ଥେ ମସ୍କୋରେ ଥିବା ‘ସୈନିକଙ୍କ ସମାଧି’ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ସୋମବାର ରାଜନାଥ ସିଂହ କାଲିନିନଗ୍ରାଡ୍ର ୟାଣ୍ଟ୍ରା ଶିପୟାର୍ଡରୁ ଏକ ନୂତନ ମଲ୍ଟି-ରୋଲ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ ଫ୍ରିଗେଟ୍ ଆଇଏନଏସ-ତୁଶିଲକୁ ଭାରତୀୟ ନୌସେନାରେ ସାମିଲ କରିବାକୁ ଥିବା ବେଳେ ମଙ୍ଗଳବାର ରୁଷ ପ୍ରତିରକ୍ଷା ମନ୍ତ୍ରୀ ଆନ୍ଦ୍ରେଇ ବେଲୁସୋଭଙ୍କ ସମେତ ମସ୍କୋରେ ଭାରତ-ରୁଷିଆ ଆନ୍ତଃ ସରକାରୀ ସାମରିକ ଏବଂ ସାମରିକ ବୈଷୟିକ ସହଯୋଗ ଆୟୋଗ (ଆଇଆରଆଇଜିସି-ଏମଆଣ୍ଡଏମସି)ର ୨୧ତମ ବୈଠକରେ ସହ ଅଧ୍ୟକ୍ଷତା କରିବେ। ଏହି ସମୟରେ ସାମରିକ ସହଯୋଗ ଏବଂ ଶିଳ୍ପ ଭାଗିଦାରୀ ଭଳି ଅନେକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ।