ଢାକା,୯।୧୨: ବାଂଲାଦେଶ ଓ ଭାରତ ମଧ୍ୟରେ ଦିନକୁ ଦିନ ବିବାଦ ତେଜୁଥିବା ବେଳେ ଏହାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ଖୁବ ଶୀଘ୍ର ବାଂଲାଦେଶ ରାଜନୀତିରେ କିଛି ବଡ ଘଟଣା ଘଟିବା ନେଇ କହିଛନ୍ତି ହସିନା। ଆୱାମୀ ଲିଗର କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡ଼ରେ ହସିନା ବର୍ତ୍ତମାନର ଅନ୍ତରୀଣ ସରକାରକୁ ଟାର୍ଗେଟ କରି ମହମ୍ମଦ ୟୁନୁସଙ୍କୁ ଜଣେ ହତ୍ୟାକାରୀ ବୋଲି କହି ଦେଶକୁ ବଞ୍ଚାଇବା ପାଇଁ ଏକଜୁଟ ହେବାକୁ କହିଛନ୍ତି।
ପ୍ରକାଶଥାଉ କି, ଶେଖ ହସିନା ଅଗଷ୍ଟ ମାସ ଠାରୁ ବାଂଲାଦେଶ ଛାଡି ଦିଲ୍ଲୀରେ ରହୁଛନ୍ତି। ତେବେ ଏହି ସମୟରେ ବାଂଲାଦେଶର ୟୁନୁସଙ୍କ ଅନ୍ତରୀଣ ସରକାର ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି କ୍ରମାଗତ ଭାବେ ହିଂସାତ୍ମକ କାର୍ଯ୍ୟକଳାପକୁ ଏକପ୍ରକାର ସମର୍ଥନ କରୁଥିବା ଦର୍ଶାଇଛନ୍ତି ହସିନା। ଏହାକୁ ନେଇ ସେ ଆଭାସୀ ମାଧ୍ୟମରେ ସମ୍ବୋଧନ କରି କହିଛନ୍ତି ଯେ, ଯଥାଶୀଘ୍ର ଏହି ଅନ୍ଧକାର ଦୂର ହେବ। ଏହି ହତ୍ୟାକାରୀ, ଷଡଯନ୍ତ୍ରକାରୀ ୟୁନୁସ ସରକାରଙ୍କୁ ବାଂଲାଦେଶବାସୀଙ୍କଠାରୁ ଶିକ୍ଷା ମିଳିବ। କାରଣ ସେମାନେ ଆମ ଦେଶକୁ ନଷ୍ଟ କରି ଆତଙ୍କ ସୃଷ୍ଟି କରୁଛନ୍ତି। ତେଣୁ ଦୟାକରି ସମସ୍ତେ ଏକତ୍ରିତ ହୋଇ ଏହି ସରକାରକୁ ହଟାନ୍ତୁ ଯାହା ଦ୍ୱାରା ବାଂଲାଦେଶ ଏକ ଭଲ ଭବିଷ୍ୟତ ପାଇପାରିବ।