ନୂଆଦିଲ୍ଲୀ: ଆରବିଆଇର ୨୬ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ରାଜସ୍ବ ମନ୍ତ୍ରଣାଳୟର ସଚିବ ସଞ୍ଜୟ ମାଲହୋତ୍ରା । ଆସନ୍ତା ୩ ବର୍ଷ ପାଇଁ ତାଙ୍କୁ ଆରବିଆଇ ଗଭର୍ଣ୍ଣର ପଦବୀରେ ନିଯୁକ୍ତ କରାଯାଇଛି। ଆସନ୍ତା ୧୧ ତାରିଖରୁ ସେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ । ସୋମବାର କ୍ୟାବିନେଟ କମିଟି ପକ୍ଷରୁ ସଞ୍ଜୟ ମାଲହୋତ୍ରାଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।
ସଞ୍ଜୟ ବର୍ତ୍ତମାନ ରାଜସ୍ବ ମନ୍ତ୍ରଣାଳୟରେ ସଚିବ ଥିବା ବେଳେ ସେ ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡରର ଆଇପିଏସ ଅଫିସର । ୨୦୨୦ ମସିହା ନଭେମ୍ବରରେ ସଞ୍ଜୟ ଆରଇସିର ଅଧ୍ୟକ୍ଷ ଓ ଏମଡି ହୋଇଥିଲେ। ଏହା ପୂର୍ବରୁ ସେ ଶକ୍ତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଗତ ୩୦ ବର୍ଷ ଧରି ମାଲହୋତ୍ରା ଶକ୍ତି, ଅର୍ଥ, ଟିକସ, ଆଇଟି ଏବଂ ଖଣି ଭଳି ବିଭାଗରେ କାର୍ଯ୍ୟ କରିଛନ୍ତି। ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ସହିତ ସେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
ଅପରପକ୍ଷରେ, ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱରେ ଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି । ଏହାପରେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ବହନ କରିବେ।