କେନ୍ଦ୍ରାପଡ଼ା: ଚା’ କାହା ପାଇଁ ନିଶା, କାହା ପାଇଁ କେବଳ ବେଉସା। ମାତ୍ର ଏଠି ଚା’ ସସ୍ପେନ୍ରୁ ଧୂଆଁ ଉଠିଲେ ଉଜ୍ଜ୍ଳଳ ଭବିଷ୍ୟତର ଭରସା ପାଆନ୍ତି ପିଜି ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଦାସ ଓ ବାଣିଜ୍ୟ ଛାତ୍ର ରାଜାରାମ ସାହୁ। ଉଚ୍ଚ ଶିକ୍ଷା ଲାଭ କରି ଉତ୍ତମ ଚାକରି କରିବା ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଢିବା ଅର୍ପିତା ଓ ରାଜାରାମଙ୍କ ସ୍ବପ୍ନ । ଏହି ସ୍ବପ୍ନ ପୂରଣ କରିବାକୁ ରାସ୍ତା କଡ଼ରେ ଟି’ ଷ୍ଟଲ ପକାଇ ଚା’ ବିକ୍ରି କରି ନିଜ ପଢା ଖର୍ଚ୍ଚ ବହନ କରୁଛନ୍ତି ଦୁଇ ଭାଇ ଭଉଣୀ।
ସିନ୍ଦୁରା ଫାଟୁଫାଟୁ ଆରମ୍ଭ ହୋଇଯାଉଛି ଭାଇଭଉଣୀଙ୍କ ପ୍ରସ୍ତୁତି। ବଡ଼ି ଭୋରୁ ଏପଟେ କେଟିଲ୍ରୁ ଧୂଆଁ ବାହାରିଲେ ସେପଟେ ଅର୍ପିତା ଓ ରାଜାରାମଙ୍କ ସ୍ବପ୍ନକୁ ହାଲକା ହାଲକା ଉଡାଣ ମିଳେ। କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ଛକରେ ହାତରେ ଗରମା ଗରମ ଚା’ର ଗ୍ଲାସ ଧରି ଗ୍ରାହକଙ୍କୁ ପରସି ଦିଅନ୍ତି ସେମାନେ। ୫ ଟଙ୍କାରେ କପେ ଚା’। ସକାଳେ ଓ ସନ୍ଧ୍ୟାରେ ବେଶ୍ କେଇ କପ୍ ଚା’ ବିକି ପାଠ ପଢା ପାଇଁ ଅର୍ଥ ସଞ୍ଚୟ କରୁଛନ୍ତି ଏହି ଉଚ୍ଚାକାଂକ୍ଷୀ ଭାଇ ଭଉଣୀ।
ଅର୍ପିତା କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ପିଜି ଛାତ୍ରୀ ଏବଂ ରାଜାରାମ କେନ୍ଦ୍ରାପଡା ଅଟୋନମସ କଲେଜରେ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ର । ଅର୍ପିତା ଭବିଷ୍ୟତରେ ଜଣେ ଅଧ୍ୟାପକ ହୋଇ ଶିକ୍ଷାଦାନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ରାଜାରାମ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଆଶା ରଖିଛନ୍ତି। ଅର୍ପିତାଙ୍କ ବାପା ଏକ ହୋଟେଲରେ କାମ କରୁଥିବା ବେଳେ ରାଜା ରାମଙ୍କ ବାପା ଜଣେ କୃଷକ । ଅର୍ଥାଭାବ ଭିତରେ ଏମାନଙ୍କ ପଢା ଖର୍ଚ୍ଚ ବହନ କରିବା ପରିବାର ପକ୍ଷେ ସମ୍ଭବ ନୁହେଁ। ତଥାପି ହାର ମାନି ନାହାନ୍ତି କି ଉଚ୍ଚ ଶିକ୍ଷା ଲାଭ କରିବାର ଜିଦ୍ ଛାଡି ନାହାନ୍ତି। ଚା ଦୋକାନ କରି ନିଜେ ନିଜ ପାଠପଢା ଖର୍ଚ୍ଚ ବହନ କରୁଛନ୍ତି ଦୁଇ ଭାଇ ଭଉଣୀ।
ଅର୍ପିତାଙ୍କ ଘର ପଟ୍ଟାମୁଣ୍ଡାଇ ବଡଜରିଆ ଗାଁରେ ହୋଇଥିବା ବେଳେ ରାଜାରାମଙ୍କ ଘର ରାଜନଗର ବ୍ଲକ ଦାରୁଓରା ଗାଁରେ । ଉଭୟ ମେସରେ ରହି ପାଠ ପଢନ୍ତି । ବହି ପତ୍ର କିଣା ସହିତ ମେସ ଖର୍ଚ୍ଚ, ସ ବୁ ଏହି ଚା ଦୋକାନରୁ ବାହାରେ। କେବିନ କରିବା ପାଇଁ ଆବଶ୍ୟକ ଟଙ୍କା ନ ଥିବାରୁ ଏକ ଖଟିଆ ଉପରେ ଚାଲୁଛି ଏମାନଙ୍କ ଚା ଦୋକାନ। ଭୋର ସାଢେ ୫ ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଏବଂ କଲେଜରେ କ୍ଲାସ ଶେଷ ହେବା ପରେ ପୁଣି ସଂଧ୍ୟା ୫ଟାରୁ ରାତି ୮ ପର୍ଯ୍ୟନ୍ତ ଦୋକାନ ଖୋଲୁଛନ୍ତି। ଏହି ଭାଇ ଭଉଣୀଙ୍କ ଦୋକାନରୁ ଚା ପିଇବା ପାଇଁ ବେଶ୍ ଭିଡ ଜମୁଛି । ଅର୍ପିତା ଓ ରାଜାରାମଙ୍କ ଏହି ସଂଘର୍ଷ ଅନ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ ।