ନୂଆଦିଲ୍ଲୀ: ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ଉଲ୍ଲେଖ ଯେ, ୨୦୧୦ରୁ ପଶ୍ଚିମ ବଙ୍ଗରେ ବିଭିନ୍ନ ଜାତିଙ୍କୁ ଦିଆଯାଇଥିବା ଓବିସି ମାନ୍ୟତାକୁ କୋଲକାତା ହାଇକୋର୍ଟ ବାତିଲ କରିଦେଇଥିଲେ। ଏଥିସହ ସାର୍ବଜନୀନ କ୍ଷେତ୍ରରେ ଚାକିରି ଏବଂ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ସଂରକ୍ଷଣକୁ ହାଇକୋର୍ଟ ଅବୈଧ ଘୋଷଣା କରିଥିଲେ। ହାଇକୋର୍ଟ କହିଥିଲେ ଏହି ବର୍ଗଗୁଡିକୁ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗ ଘୋଷଣା କରିବା ନେଇ ଧର୍ମ ଏକମାତ୍ର ମାନଦଣ୍ଡ ପ୍ରତୀତ ହେଉଛି। ଏଥିସହ ମୁସଲମାନଙ୍କର ୭୭ଟି ବର୍ଗକୁ ପଛୁଆ ବର୍ଗ ଭାବେ ଚୟନ କରିବା ଏହି ବର୍ଗର ଅପମାନ ବୋଲି ହାଇକୋର୍ଟ ଦର୍ଶାଇଥିଲେ।
୨୦୧୨ ସଂରକ୍ଷଣ ଆଇନ ଏବଂ ୨୦୧୦ ସଂରକ୍ଷଣ ପ୍ରାବଧାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ସଂରକ୍ଷଣର ଫାଇଦା ପାଉଥିଲେ ଅଥବା ରାଜ୍ୟର ଯେକୌଣସି ଚୟନ ପ୍ରକ୍ରିୟାରେ ସଫଳ ହୋଇଥିବା ଲୋକେ ଯଦି ଓବିସି ତାଲିକାରୁ ହଟାଯାଇଥିବା ବର୍ଗଗୁଡିକ ଅଧୀନରେ ଆସୁଥାଆନ୍ତି ତେବେ ସେମାନଙ୍କୁ ନେଇ ସେହି ନିଷ୍ପତ୍ତି ପ୍ରଭାବିତ ହେବ ନାହିଁ।
୨୦୧୦ ଏପ୍ରିଲରୁ ୨୦୧୦ ସେପ୍ଟେମ୍ବର ମଧ୍ୟରେ ହାଇକୋର୍ଟ ୭୭ଟି ବର୍ଗକୁ ଦିଆଯାଇଥିବା ସଂରକ୍ଷଣ ବ୍ୟବସ୍ଥା ରଦ୍ଦ କରିଥିଲେ। ଏହା ଦ୍ବାରା ଅଧିନିୟମର ପ୍ରାବଧାନକୁ ନିରସ୍ତ୍ର କରିଦିଆଯାଇଥିବା ସିବଲ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ। ଏଥସହ ଅନ୍ତରୀଣ ନିର୍ଦ୍ଦେଶ ପାରିତ କରି ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତା ଦେଶ ଲାଗୁ କରିବାକୁ ସିବଲ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ। ଯାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ରାୟ ଦେଇଛନ୍ତି।