ନୂଆଦିଲ୍ଲୀ: ସମ୍ଭୁ ସୀମାରେ ଆନ୍ଦୋଳନରତ ଚାଷୀ ମଙ୍ଗଳବାର ନିଜର ଦିଲ୍ଲୀ ଚଲୋ ପଦଯାତ୍ରା ଦିନକ ପାଇଁ ସ୍ଥଗିତ ରଖିବେ। ଏ ନେଇ ପଞ୍ଜାବ କୃଷକ ନେତା ସରଓ୍ବାନ ସିଂହ ପାନ୍ଧେର ସୋମବାର ଘୋଷଣା କରିଛନ୍ତି। ଗତ ୬ ଓ ୮ ତାରିଖରେ ସାମୁଖ୍ୟ କିଶାନ ମୋର୍ଚ୍ଚା ଏବଂ କିଶାନ ମଜଦୁର ମୋର୍ଚ୍ଚା ଅଧିନରେ ଶତାଧିକ କୃଷକ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ସମ୍ପୂର୍ଣ୍ଣ ବଳ ପ୍ରୟୋଗ ସ୍ବରୂପ ସେମାନଙ୍କୁ ସମ୍ଭୁ ସୀମାରୁ ଆଗକୁ ବଢିବାକୁ ଦେଇ ନ ଥିଲା। ସୋମବାର ସମ୍ଭୁ ଓ ଖାନୌରୀ ସୀମାରେ ପୃଥକ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରି ପାନ୍ଧେର କହିଛନ୍ତି ଚାଷୀ ରାଷ୍ଟ୍ରୀୟ ରାଜଧାନୀକୁ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେବା ପରଠାରୁ କେନ୍ଦ୍ର ବ୍ୟତିବ୍ୟସ୍ତ ହୋଇପଡିଛି। ଚାଷୀ ଅନ୍ୟ ଯାନ ଦ୍ବାରା ଆସିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟାରେ ଏବେ କହୁଛନ୍ତି। କିନ୍ତୁ ସେ ହରିୟାଣା ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ପରାମର୍ଶ ଦେଉଥିଲେ। ପୂର୍ବରୁ ଚାଷୀଙ୍କ ଟ୍ରାକ୍ଟର ଯାତ୍ରାକୁ ବିଜେପି ବିରୋଧ କରୁଥିଲା। ସରକାର ବିଭ୍ରାନ୍ତ ହୋଇଯାଇଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସେ ଦର୍ଶାଇଛନ୍ତି।