ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ବିଶ୍ବର ସବୁଠୁ ଘାତକ ମିସାଇଲ ଫ୍ରିଗେଟ୍ ବା ଯୁଦ୍ଧ ଜାହାଜ । ଶତ୍ରୁଙ୍କ ଅଗୋଚରରେ ଆକ୍ରମଣ କରି ବାହ୍ୟଶତ୍ରୁଙ୍କୁ ସାବାଡ଼ କରିବ ରୁଷ ଦ୍ବାରା ନିର୍ମିତ ମଲ୍ଟି ରୋଲ୍ ଷ୍ଟିଲଥ୍ ଗାଇଡେଡ୍ ଆଇଏନଏସ-ତୁଶିଲ। ରୁଷର କାଲିନିନଗ୍ରାଡ୍ର ୟାଣ୍ଟ୍ରା ଶିପୟାର୍ଡ ଠାରେ ସୋମବାର ଭାରତୀୟ ନୌସେନାରେ ଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ-ତୁଶିଲକୁ ସାମିଲ କରାଇଛନ୍ତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ସମିଶ୍ରଣ ସମାରୋହରେ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରୀପାଠିଙ୍କ ସମେତ ବହୁ ବରିଷ୍ଠ ଭାରତୀୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ବିଗତ କିଛି ବର୍ଷ ହେବ ଭାରତ ମହାସାଗରରେ ଚୀନ ପିଏଲଏ ସେନାର ଗତିବିଧି ବୃଦ୍ଧି ପାଇଛି। ଯୁଦ୍ଧ ଜାହାଜ ଆଇଏନଏସ-ତୁଶିଲ ସାମିଲ ହେବା ଦ୍ବାରା ଭାରତୀୟ ନୌସେନାର ସାମର୍ଥ୍ୟ ଭାରତ ମହାସାଗରରେ ଆହୁରି ବୃଦ୍ଧି ପାଇବ। ରାଜନାଥ କହିଛନ୍ତି ଭାରତର ସାମୁଦ୍ରିକ ଦକ୍ଷତା ବୃଦ୍ଧି ଓ ଭାରତ-ରୁଷର ଦୀର୍ଘ ସମ୍ବନ୍ଧକୁ ନେଇ ଏହା ଏକ ଗୌରବମୟ ସମୟ। ଏହା ଭାରତ ଓ ରୁଷର ମିଳିତ ଶକ୍ତିର ପ୍ରମାଣ ତଥା ମିଳିତ ଉଦ୍ୟମରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ଉତ୍କର୍ଷତାର ପ୍ରମାଣ। ଭାରତ ଓ ରୁଷ ମିଳିତ ଭାବେ ପରସ୍ପରର ବିଶେଷଜ୍ଞତାର ଫାଇଦା ଉଠାଇ କୃତ୍ରିମ ବୁଦ୍ଧିମତା, ସାଇବର ସିକ୍ୟୁରିଟି, ମହାକାଶ ଗବେଷଣା ଓ ଆତଙ୍କବାଦର ମୁକାବିଲା ଦିଗରେ ଦ୍ବିପାକ୍ଷିକ ସହଯୋଗୀତାର ଏକ ନୂତନ ଯୁଗ ସୃଷ୍ଟି କରିବେ ବୋଲି ରାଜନାଥ କହିଛନ୍ତି।