ଡାମାସକସ୍: ସିରିଆରେ ଅସଦ ଯୁଗର ଅବସାନ ଘଟିବା ପରେ ଏବେ ସିରିଆ ଉପରେ ଘନଘନ ଆକ୍ରମଣ ଜାରି ରହିଛି । ଏହାକୁ ସେଠାରେ ରହୁଥିବା ଭାରତୀୟମାଙ୍କୁ ତୁରନ୍ତ ପଳାଇ ଆସିବାକୁ ଦୂତାବାସ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ତେବେ ଏହାରି ମଧ୍ୟରେ ସିରିଆରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କରିଛି ଭାରତ । ସେମାନଙ୍କ ମଧ୍ୟରୁ ୪୪ ଜଣ ଜାମ୍ମୁ-କାଶ୍ମୀରର ଜୈରିନ ତୀର୍ଥଯାତ୍ରୀ ରହିଛନ୍ତି । ସେମାନେ ସଇଦା ଜୈନାବରେ ରହୁଥିଲେ । ସମସ୍ତ ୭୫ ଭାରତୀୟ ସୁରକ୍ଷିତ ଭାବେ ସିରିଆରୁ ଲେବାନନକୁ ଆସିସାରିଛନ୍ତି । ସେଠାରୁ ବାଣିଜ୍ୟିକ ବିମାନ ଯୋଗେ ଭାରତ ଫେରିବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଡାମାସକସ୍ ଓ ବେରୁଟରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଏମାନଙ୍କୁ ଉଦ୍ଧାର କରାଯାଇଥିଲା । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର ବିଳମ୍ବିତ ରାତିରେ ସୂଚନା ଦେଇଥିଲା ।
ପ୍ରକାଶଥାଉ କି, ହୟାତ-ତାହିର-ଅଲ-ଶାମ ସଂଗଠନର ବିଦ୍ରୋହୀମାନେ ଡାମାସକସ୍ କୁ କବଜା କରିବା ପରେ ବଶାର-ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ ହୋଇଥିଲେ । ସିରିଆ ଏବେ ହୟାତ ତାହିର ଅଲ-ଶାମ (ଏଚଟିଏସ)ର ସମ୍ପୂର୍ଣ୍ଣ ଅକ୍ତିଆରରେ ରହିଛି । ବର୍ତ୍ତମାନ ସେଠାରେ ରାଜନୈତିକ ଅଚଳାବସ୍ଥା ଲାଗି ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ପକ୍ଷରୁ ୩୫୦ରୁ ଅଧିକ ମିଶାଇଲ ମାଡ଼ କରାଯାଇଛି। ଅସଦ ବ୍ୟବହାର କରୁଥିବା ବିପଜ୍ଜନକ ଅସ୍ତ୍ରଶସ୍ତ୍ର ସିରିଆରେ ବିଦ୍ରୋହୀଙ୍କ ହାତରେ ପଡିବାରୁ ବର୍ତ୍ତିବା ପାଇଁ ପ୍ରାୟ ଅସ୍ତ୍ରଶସ୍ତ୍ର ବେସ ଉପରେ ଆକ୍ରମଣ ଜାରି ରଖିଥିବା ସୂଚନା ରଖିଛି ଇସ୍ରାଏଲ। ଏହାସହିତ ଆଇଡିଏଫ ୭୦-୮୦ ପ୍ରତିଶତ ଅସ୍ତ୍ରାଗାର ଧ୍ବଂସ କରିସାରିଥିବା ଦୃଢୋକ୍ତି ପ୍ରକାଶ କରିଛି । ତେବେ ଯଦି ଏପରି ଆକ୍ରମଣ ଆଉ କିଛିଦିନ ଲାଗି ରୁହେ ତାହେଲେ ଖୁବଶୀଘ୍ର ସିରିଆ ବାୟୁସେନା ଧ୍ବସଂ ପାଇଯିବ ବୋଲି ଅନୁମାନ କରାଯାଉଛି।