ୱାସିଙ୍ଗଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍ରେ ଆଉ ଜଣେ ଭରତୀୟ ବଂଶୋଦ୍ଭବଙ୍କ ଏଣ୍ଟ୍ରି। ଓକିଲ ହରମିତ କେ. ଧିଲୋନଙ୍କୁ ଟ୍ରମ୍ପ ସରକାରରେ ମିଳିଛି ବଡ଼ ଦାୟିତ୍ୱ। ନ୍ୟାୟ ବିଭାଗରେ ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ଟ୍ରମ୍ପ ହରମିତଙ୍କୁ ମନୋନୀତ କରିଛନ୍ତି। ଏନେଇ ଟ୍ରମ୍ପ ସୋସିଆଲ ମିଡିଆ ଏକ୍ସ ଜରିଆରେ ଏକ ପୋଷ୍ଟ କରିବା ସହିତ ହରମିତଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି, ‘ହରମିତ୍ ଦେଶର ସର୍ବୋଚ୍ଚ ନିର୍ବାଚନ ଆଟର୍ଣ୍ଣିଙ୍କ ମଧ୍ୟରୁ ଅନ୍ୟତମ। ସେ ଶିଖ ସମ୍ପ୍ରଦାୟ ସହିତ ଜଡିତ। ନ୍ୟାୟ ବିଭାଗରେ ତାଙ୍କର ନୂତନ ଭୂମିକା ସହିତ ସେ ସାମ୍ବିଧାନିକ ଅଧିକାରର ସୁରକ୍ଷାକାରୀ ମଧ୍ୟ ହେବେ।’
ଟ୍ରମ୍ପ ଏହି ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ହରମିତ ଧିଲୋନ ଫ୍ରି ସ୍ପିଚ୍ ସେନ୍ସରସିପ୍ ପାଇଁ ସ୍ୱର ଉତ୍ତୋଳନ କରିବା ସହିତ ଟେକ୍ କମ୍ପାନୀଗୁଡିକୁ ଟାର୍ଗେଟ୍ ଏବଂ ତାଙ୍କ ସହକର୍ମୀଙ୍କ ବିରୋଧରେ ଭେଦଭାବ କରୁଥିବା ନୀତି ପାଇଁ ସେ କର୍ପୋରେଟ୍ ବିରୋଧରେ ଏକ ଆଇନଗତ ମାମଲା ମଧ୍ୟ ଦାୟର କରିଥିଲେ।
ପ୍ରକାଶଥାଉ କି, ଭାରତୀୟ ବଂଶୋଦ୍ଭବ ହରମିତ ଧିଲୋନ୍ଙ୍କ ଜନ୍ମ ୧୯୬୯ ମସିହା ୨ ଏପ୍ରିଲରେ ଚଣ୍ଡିଗଡ଼ରେ ହୋଇଥିଲା। ଯେତେବେଳେ ତାଙ୍କୁ ଦୁଇ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପରିବାର ଚଣ୍ଡିଗଡରୁ ଆମେରିକା ସ୍ଥାନାନ୍ତର ହୋଇଥିଲେ। ପ୍ରଥମେ ଆମେରିକାର ଉତ୍ତର କାରୋଲିନା ଏବଂ ପରେ ନ୍ୟୁୟର୍କ ସହରକୁ ଚାଲି ଆସିଥିଲେ। ସେ ଡାର୍ଟମାଉଥ୍ କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ଜଣେ ଆଇନ କିରାଣୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ନ୍ୟାୟ ବିଭାଗର ସାମ୍ବିଧାନିକ ନିର୍ଯାତନା ବିଭାଗରେ କାର୍ଯ୍ୟ କରିବା ପରେ ୨୦୦୬ ମସିହାରେ ନିଜର ଏକ ଆଇନ ପରାମର୍ଶ ସଂସ୍ଥା ଧିଲୋନ ଲ’ ଗ୍ରୁପ୍ ପ୍ରତିଷ୍ଠା କରିଥିଲେ।