ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଡିସେମ୍ବର ୩୧ରେ ମାଧୋ ସିଂ ହାତଖର୍ଚ୍ଚ ପ୍ରଦାନ କରାଯିବ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛତ୍ରଛାତ୍ରୀଙ୍କୁ ଏହି ହାତ ଖର୍ଚ୍ଚ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଏହି ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ଘେଁସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ରାଜ୍ୟ ସରକାରଙ୍କର ଏହି ଯୋଜନା ଜରିଆରେ ରାଜ୍ୟର ଲକ୍ଷାଧିକ ଏସସି, ଏସଟି ଛାତ୍ରଛାତ୍ରୀ ସୁଫଳ ପାଇବେ । ରାଜ୍ୟର ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ଲକ୍ଷ୍ୟରେ ଚଳିତ ବର୍ଷ ରାଜ୍ୟ ସରକାର ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଆରମ୍ଭ କରିବେ ବୋଲି ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ । ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାଷିର୍କ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏହି ଯୋଜନାରେ ରାଜ୍ୟ ସରକାର ୧୫୬ କୋଟି ଖର୍ଚ୍ଚ କରିବେ । ଏହି ଯୋଜନା ମାଧ୍ୟମରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ସମସ୍ୟା ରୋକାଯାଇ ପାରିବ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି ।