କରାଚି: ରବିବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏଥିରେ ୩ ଜଣଙ୍କର ପ୍ରାଣହାନୀ ସମେତ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ଚୀନ ନାଗରିକ ଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ବୋମାମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ, ରବିବାର ରାତିରେ ପାକିସ୍ତାନର ସବୁଠୁ ବଡ଼ ବିମାନବନ୍ଦର ବାହାରେ ଏକ ତେଲ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା । ଏହାଯୋଗୁଁ ୩ ଜଣ ପ୍ରାଣ ହରାଇଥିବା ବେଳେ ୧୦ ଜଣ ନାଗରିକ ଗୁରୁତର ଆହତ ହୋଇଥିଲେ । ବାଲୋଚ ଲିବରେସନ ଆର୍ମି(ବିଏଲଏ) ଏହି ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ସ୍ଵୀକାର କରିଥିବା ବେଳେ ଏକ ଗାଡ଼ିରେ ବିସ୍ଫୋରକ ସାମଗ୍ରୀ ରଖାଯାଇ ଏହି ବିସ୍ଫୋରଣ କରାଯାଇଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ପାକର ପ୍ରାଦେଶିକ ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ଆକ୍ରମଣ ବିଦେଶୀ ମାନଙ୍କୁ ଟାର୍ଗଟେ କରି କରାଯାଇଛି । ଚୀନ୍ ନାଗରିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି । ପାକିସ୍ତାନରେ ଅନେକ ଚୀନ୍ ନାଗରିକ ଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା । ଏହି ବିସ୍ଫୋରଣ ପରେ ବିମାନବନ୍ଦର ବାହାର ଧୂଆଁମୟ ହୋଇଯାଇଥିଲା । ସେହି ଆହତ ମାନଙ୍କ ମଧ୍ୟରେ ପୋଲିସ କର୍ମୀ ରହିଛନ୍ତି ।
ଅପରପକ୍ଷରେ ପାକିସ୍ତାନରେ ଅବସ୍ଥାପିତ ଚୀନ ଦୂତାବାସ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଘଟଣାର ତୀବ୍ର ନିନ୍ଦା କରାଯାଇଛି। ଏହାସହ ଚୀନ ନାଗରିକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଓ ଘଟଣାର ସବିଶେଷ ତଦନ୍ତ କରିବାକୁ ପାକ୍ ସରକାରଙ୍କ ନିକଟରେ ଦୂତାବାସ ପକ୍ଷରୁ ଦାବି କରାଯାଇଛି।