ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରରେ ଭାରତୀୟ ସେନାକୁ ମିଳିଛି ଏକ ବଡ଼ଧରଣର ସଫଳତା। ଜମ୍ମୁ-କଶ୍ମୀରସ୍ଥିତ ପୁଞ୍ଛ ଅଂଚଳରେ ଭାରତୀୟ ସେନାର ରୋମିଓ ଫୋର୍ସ ଏକ ପାକିସ୍ତାନୀ ଆତଙ୍କବାଦୀ ଆଶ୍ରୟସ୍ଥଳୀର ସୁରାକ ପାଇଛି । ସେନାର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ପୁଲିସ ସହ ସମନ୍ୱୟ ରକ୍ଷା କରି କାମ କରୁଥିଲା ରୋମିଓ ଫୋର୍ସ।
ସୂଚନାଯୋଗ୍ୟ ଯେ, ଶନିବାର ହୋଇଥିବା ସର୍ଚ୍ଚ ଅପରେସନ୍ ସମୟରେ ସେନା ଏହି ଆତଙ୍କବାଦୀ ଆଶ୍ରୟସ୍ଥଳରୁ ୨ଟି ଗ୍ରେନେଡ୍ ଓ ୩ଟି ପାକିସ୍ତାନୀ ଲ୍ୟାଣ୍ଡମାଇନ୍ ଜବତ କରିଛି। ଏହାପରେ ଜମ୍ମୁ-କଶ୍ମୀରର ଟାଙ୍ଗମାର୍ଗ ଏବଂ ବିଭିନ୍ନ ଅଞ୍ଚଳରେ କର୍ତ୍ତୃପକ୍ଷ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ସେନାର ପ୍ରମୁଖ ଲକ୍ଷ୍ୟ ଗୁଲମାର୍ଗ, ବାରାମୁଲ୍ଲା ଏବଂ ଗଣ୍ଡରବାଲ ଜିଲ୍ଲାର ଗଗନଗିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସନ୍ଦିଗ୍ଧମାନଙ୍କୁ ଠାବ କରିବା ହୋଇଥିବା ବେଳେ ପୁଞ୍ଛ ଅଂଚଳରେ ଏହି ପାକିସ୍ଥାନୀ ଆଶ୍ରୟସ୍ଥଳୀ ସନ୍ଧାନ ମିଳିବା ଭାରତୀୟ ସେନା ପାଇଁ ଏକ ବଡ ଧରଣର ସଫଳତା।
ପ୍ରକାଶଥାଉ କି, ନିକଟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଗତ ଅକ୍ଟୋବର ୨୪ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସେନାର ଏକ ଗାଡ଼ିକୁ ଟାର୍ଗେଟ କରିବା ଦ୍ୱାରା ଦୁଇ ଜଣ ଯବାନ ସହିଦ ହେବ ସହିତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗତ ଅକ୍ଟୋବର ୨୦ ତାରିଖରେ ଆତଙ୍କବାଦୀମାନେ ଶ୍ରୀନଗର-ଲେହ ଜାତୀୟ ରାଜପଥର ଏକ ସୁଡ଼ଙ୍ଗ ସ୍ଥଳରେ ଜଣେ ଡାକ୍ତର ଏବଂ ୬ ଜଣ ଶ୍ରମିକଙ୍କୁ ଟାର୍ଗେଟ କରିଥିଲେ। ତେବେ ଲଗାତାର ଆକ୍ରମଣ ପରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଏବଂ ଶିବିରଗୁଡ଼ିକର ସୁରକ୍ଷା ପ୍ରୋଟୋକଲକୁ ତୁରନ୍ତ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇ ବ୍ୟାପକ ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ନିରନ୍ତର ପାଟ୍ରୋଲିଂ ଓ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଛି।